Thursday, September 10, 2020

କାରକ ଓ ବିଭକ୍ତି

 କାରକ ଓ ବିଭକ୍ତି
 “ରାଜା ପ୍ରଭାତରେ ଭିକ୍ଷୁକମାନଙ୍କୁ ରାଜକୋଷରୁ ସ୍ଵହସ୍ତରେ ଗାଈଗୁଡ଼ିକୁ ଦାନ କଲେ ।”
ଏହି ବାକ୍ୟରେ କ୍ରିୟାପଦ ହେଉଛି ‘ଦାନକଲେ’ । ଏହି କ୍ରିୟାପଦ ସହିତ ଅନ୍ୟପଦଗୁଡ଼ିକ ସମ୍ବନ୍ଧିତ ।
ଏହି ସମ୍ବନ୍ଧ ନିମ୍ନମତେ ବିଚାର କରାଯାଇ ପାରିବ –
ପ୍ରଶ୍ନ
(କ) କିଏ ଦାନ କଲେ?
(ଖ) କ’ଣ ଦାନ କଲେ ?
(ଗ) କାହାଦ୍ଵାରା ଦାନକଲେ ?
(ଘ) କାହାକୁ ଦାନ କଲେ ?
(ଙ) କେଉଁଠାରୁ ଦାନ କଲେ ?
 (ଚ) କେତେବେଳେ ଦାନ କଲେ ?
ଉତ୍ତର
(କ) ରାଜା
(ଖ) ଗାଈଗୁଡ଼ିକୁ
(ଗ) ସ୍ଵହସ୍ତରେ
(ଘ) ସ୍ଵହସ୍ତରେ
(ଙ) ରାଜକୋଷରୁ
(ଚ) ପ୍ରଭାତରେ
ସମ୍ବନ୍ଧ 
(କ) କର୍ତ୍ତା
(ଖ) କର୍ମ
(ଗ) କରଣ
(ଘ) ସଂପ୍ରଦାନ
(ଙ) ଅପାଦାନ
(ଚ) ଅଧିକରଣ
ଏଥିରୁ ଜଣାଗଲା ଯେ, କ୍ରିୟାପଦ ‘ଦାନ କଲେ’ ସହିତ ବାକ୍ୟର ଅନ୍ୟପଦଗୁଡ଼ିକର ଭିନ୍ନଭିନ୍ନ ସମ୍ବନ୍ଧ
ରହିଅଛି । ଏହି ସମ୍ବନ୍ଧକୁ କାରକ କହନ୍ତି ।
ବାକ୍ୟ ମଧ୍ୟରେ କ୍ରିୟାପଦ ସହିତ ଅନ୍ୟ ପଦମାନଙ୍କର ଯେଉଁ ସମ୍ବନ୍ଧ ରହିଥାଏ, 
ତାହାକୁ କାରକ କୁହାଯାଏ ।
ଏହି ସମ୍ବନ୍ଧ ଛଅ ପ୍ରକାରର । ଏହାକୁ ଆଧାର କରି ଛ’ଗୋଟି କାରକର ପରିକଳ୍ପନା କରାଯାଇଛି । ସେଗୁଡ଼ିକ
ହେଉଛି – କର୍ତ୍ତା, କର୍ମ, କରଣ, ସମ୍ପ୍ରଦାନ, ଅପାଦାନ ଓ ଅଧିକରଣ କାରକ ।
କର୍ତ୍ତା କାରକ :
(କ) ବିବେକାନନ୍ଦ ଆମେରିକାରେ ଓଜିସ୍ୱିନୀ ଭାଷଣ ଦେଇଥିଲେ ।
(ଖ) ଖରାଦିନେ ପଣସ ପାଚେ ।
 (ଗ) ରାଜା ପୁରୋହିତଙ୍କ ଦ୍ୱାରା ଯଜ୍ଞ କରାଉଛନ୍ତି ।
ଲକ୍ଷ୍ୟକର ଯେ, ପ୍ରଥମ ବାକ୍ୟର ‘ ଭାଷଣ ଦେବା’ କ୍ରିୟାଟି ବିବେକାନନ୍ଦଙ୍କଦ୍ଵାରା ସଂପାଦିତ ହୋଇଛି, ଦ୍ୱିତୀୟ
ବାକ୍ୟରେ ‘ପାଚିବା’ କ୍ରିୟା ପଣସ ସମ୍ବନ୍ଧରେ କୁହାଯାଇଛି ଏବଂ ‘ ଯଜ୍ଞ କରାଇବା' କ୍ରିୟାଟି ରାଜା ନିଜେ ନକରି
ପୁରୋହିତଙ୍କ ଦ୍ୱାରା କରାଉଛନ୍ତି । ଏହି ବାକ୍ୟ ତିନୋଟିରେ ଯଥାକ୍ରମେ ‘ବିବେକାନନ୍ଦ', ‘ପଣସ' ଓ 'ରାଜା' କର୍ତ୍ତା
କାରକ ଅଟନ୍ତି । ତେଣୁ କ୍ରିୟା ଯେ ସଂପାଦନ କରେ, କରାଏ ଅଥବା ଯାହା ସମ୍ବନ୍ଧରେ କୌଣସି କ୍ରିୟା କୁହାଯାଏ ।
ତାହା କର୍ତ୍ତା କାରକ । ସାଧାରଣତଃ କ୍ରିୟାପଦ ପୂର୍ବରୁ କିଏ ବା କ’ଣ ଲଗାଇ ପ୍ରଶ୍ନକଲେ ଉତ୍ତରରେ କର୍ତ୍ତାକାରକ
ମିଳିଥାଏ ।
ଯଥା –
ପ୍ରଶ୍ନ
କିଏ ଓଜସ୍ୱିନୀ ଭାଷଣ ଦେଇଥିଲେ
କ’ଣ ପାଚିଥାଏ?
କିଏ ଯଜ୍ଞ କରାଉଛନ୍ତି?
ଉତ୍ତର ବା କର୍ତ୍ତା କାରକ 
 ବିବେକାନନ୍ଦ
ପଣସ
ରାଜା
ଯେଉଁ କର୍ତ୍ତା ନିଜେ କ୍ରିୟା ସଂପାଦନ ନକରି ଅନ୍ୟ ଦ୍ଵାରା କରାଏ, 
ତାହାକୁ ପ୍ରଯୋଜକ କର୍ତ୍ତା ଏବଂ ଯାହାଦ୍ବାରା କରାଏ ତାହାକୁ ପ୍ରଯୋଜ୍ୟ କର୍କା କହନ୍ତି । 
ଏଠାରେ 'ରାଜା’ ପ୍ରଯୋଜକ କର୍ତ୍ତା ଏବଂ ‘ପୁରୋହିତମାନଙ୍କଦ୍ଵାରା’ ପ୍ରଯୋଜ୍ୟ କର୍ତ୍ତା ।
ପୁନଶ୍ଚ ନିମ୍ନଲିଖୁତ ବାକ୍ୟଗୁଡ଼ିକୁ ଲକ୍ଷ୍ୟ କରିବା
ଶାନ୍ତିଶୃଙ୍ଖଳା ରକ୍ଷା କର ।
 ପାଠ ପଢ଼ି ।
ନିଷ୍ଠାରଖି କାର୍ଯ୍ୟ କର ।
ବାଟଦେଖି ଚାଲ।
      ଉଲ୍ଲିଖିତ ଚାରିଗୋଟି ବାକ୍ୟରେ କର୍ଭା ଉହ୍ୟ ହୋଇ ରହିଅଛି । ଏଠାରେ କର୍ଣ୍ଣାଟି ହେଉଛି ‘ତୁମେ । ଓଡ଼ିଆ
ଭାଷାରେ ସାଧାରଣତଃ ଆଦେଶାତ୍ମକ ବାକ୍ୟରେ କର୍ଲାର ଅନୁପସ୍ଥିତି ଦେଖୁବାକୁ ମିଳେ । କର୍ତା ଭାବରେ ବିଶେଷ୍ୟ,
ବିଶେଷଣ, ସର୍ବନାମ, ଖଣ୍ଡବାକ୍ୟ ଓ ବାକ୍ୟାଶ ମଧ୍ୟ ବ୍ୟବହୃତ ହୋଇପାରନ୍ତି । ଯଥା;
ବିଶେଷ୍ୟ : କପିଳେନ୍ଦ୍ରଦେବ ଏକ ବିଶାଳ ରାଜ୍ୟ ପ୍ରତିଷ୍ଠା କରିଥିଲେ ।
ବିଶେଷଣ : ଗୁଣବନ୍ତ ସମସ୍ତଙ୍କର ଆଦରର ପାତ୍ର ହୋଇଥାଏ ।
ସର୍ବନାମ : ସେ ଅତ୍ୟନ୍ତ ସ୍ୱାଭିମାନୀ ଥିଲେ ।
ଖଣ୍ଡବାକ୍ୟ : କାଲି ଖେଳ ହେବ କି ନାହିଁ, ବର୍ଷା ଉପରେ ନିର୍ଭର କରେ ।
ବାକ୍ୟାଂଶ : ଦାନ୍ତୁରୀର ହସିବା କାନ୍ଦିବା ସମାନ ଅଟେ ।
କର୍ତ୍ତା କାରକରେ ପ୍ରଥମ ବିଭକ୍ତ ହୁଏ ।

କର୍ମକାରକ :
ମାର୍କେନି ରେଡ଼ିଓ ଉଦ୍ଭାବନ କରିଥିଲେ ।
ନିଲ୍ ଆର୍ମଷ୍ଟ୍ରଙ୍ଗ ଚନ୍ଦ୍ରକୁ ଯାଇଥିଲେ ।
ଇଂରେଜମାନେ ଭାରତକୁ ଖଣ୍ଡଖଣ୍ଡ କରିଦେଲେ ।
ପ୍ରଦତ୍ତ ତିନିଗୋଟି ବାକ୍ୟରେ କର୍ମଗୁଡ଼ିକ ଯଥାକ୍ରମେ – “ରେଡ଼ିଓ”, “ଚନ୍ଦ୍ରକୁ' ଓ “ଭାରତକୁ ।
କ୍ରିୟାପଦ ସହିତ ଏହି ପଦମାନଙ୍କର ସମ୍ବନ୍ଧକୁ ଲକ୍ଷ୍ୟ କର :
ପ୍ରଶ୍ନ
କ’ଣ ଉଦ୍ଭାବନ କରିଥିଲେ ?
କେଉଁଠିକୁ ଯାଇଥିଲେ ?
କାହାକୁ ଖଣ୍ଡଖଣ୍ଡ କରିଦେଲେ ?
ଉତ୍ତର 
ରେଡ଼ିଓ
ଚନ୍ଦ୍ରକୁ
ଭାରତକୁ
ଏଠାରେ ‘ରେଡ଼ିଓ”, “ଚନ୍ଦ୍ରକୁ’ ଓ “ଭାରତକୁ' କର୍ମକାରକ ।
କର୍ତ୍ତାର  କ୍ରିୟା ସାଧନରେ ଯାହା ଅଭିଳଷିତ ତାହା କର୍ମକାରକ |
ସାଧାରଣତଃ କ୍ରିୟା ପୂର୍ବରୁ କ’ଣ, କାହାକୁ ବା କେଉଁଠିକୁ ଲଗାଇ ପ୍ରଶ୍ନକଲେ ଉତ୍ତରରେ କର୍ମକାରକ ମିଳିଥାଏ ।
ନିମ୍ନସ୍ଥ ବାକ୍ୟଟିକୁ ଲକ୍ଷ୍ୟକର ।
‘ଶିକ୍ଷକ ଛାତ୍ରକୁ ପ୍ରଶ୍ନ ପଗରିଲେ ।
     ଏହି ବାକ୍ୟରେ ‘ଛାତ୍ରକୁ’ ଓ ‘ପ୍ରଶ୍ନ’ ଦୁଇଗୋଟି କର୍ମ ଅଟନ୍ତି । ଏପରି କ୍ଷେତ୍ରରେ ଗୋଟିଏ କର୍ମକୁ ମୁଖ୍ୟକର୍ମ ଓ
ଅନ୍ୟଟିକୁ ଗୌଣକର୍ମ କୁହାଯାଏ । ଏଠାରେ ‘ଛାତ୍ରକୁ’ ଗୌଣକର୍ମ ଓ ପ୍ରଶ୍ନ’ ମୁଖ୍ୟ କର୍ମ । କ୍ରିୟା ଦ୍ୱିକର୍ମକ ହୋଇଥିଲେ
ଯେଉଁ କର୍ମଟି ଅନ୍ୟକାରକ ସ୍ଥାନରେ ପ୍ରଯୁକ୍ତ ହୋଇଥାଏ, ତାହା ଗୌଣ ବା ଅପ୍ରଧାନ ଏବଂ ଅପରଟି ମୁଖ୍ୟ ବା ପ୍ରଧାନ
କର୍ମ ଅଟେ।
     ବିଶେଷ୍ୟ, ସର୍ବନାମ ବା ବିଶେଷ୍ୟ ପରିବର୍ତ୍ତେ ବ୍ୟବହୃତ ଯେ କୌଣସି ପଦ ବା ପଦସମଷ୍ଟି କର୍ମପଦ ରୂପେ
ବ୍ୟବହୃତ ହୋଇପାରେ ।
ଯଥା – ସେ କାହିଁକି ପଦତ୍ୟାଗ କଲେ, ମୁଁ ଜାଣେ ।
ଏଠାରେ ‘ଜାଣେ’ କ୍ରିୟାର କର୍ମହେଉଛି – “ସେ କାହିଁକି ପଦତ୍ୟାଗ କଲେ’ ଅର୍ଥାତ ଗୋଟିଏ ବାକ୍ୟ
ଏଠାରେ କର୍ମରୂପେ ବ୍ୟବହୃତ ହୋଇଅଛି ।
କର୍ମକାରକରେ ଦ୍ଵିତୀୟା ବିଭକ୍ତ ହୁଏ ।
କରଣ କାରକ :
କାଠୁରିଆ କୁରାଢ଼ିରେ ଗଛ କାଟୁଅଛି ।
ଲୋକଟି ଜାଲରେ ମାଛ ଧରୁଅଛି ।
ସେ କଲମରେ ଲେଖୁଅଛି ।
ଉପରୋକ୍ତ ବାକ୍ୟ ତିନୋଟିରେ କ୍ରିୟାପଦ ସହିତ ଅନ୍ୟପଦର ସମ୍ବନ୍ଧକୁ ନିମ୍ନମତେ ପ୍ରଦର୍ଶନ କରାଯାଇପାରେ ।
ପ୍ରଶ୍ନ
କାହାଦ୍ୱାରା ଗଛ କାଟୁଅଛି ?
କାହାଦ୍ଵାରା ମାଛ ଧରୁଅଛି ?
କାହାଦ୍ଵାରା ଲେଖୁଅଛି ?
ଉତ୍ତର
କୁରାଢ଼ିରେ
ଜାଲରେ
କଲମରେ
ଏଠାରେ ‘କୁରାଢ଼ି’, ‘ଜାଲ’ ଓ ‘କଲମ’ କ୍ରିୟା ସାଧନର ମାଧ୍ୟମ ।
ଯାହା ସାହାଯ୍ୟରେ କ୍ରିୟା ସାଧିତ ହୁଏ ବା କ୍ରିୟା ସାଧନରେ ଯିଏ ପ୍ରକୃଷ୍ଟ କାର୍ଯ୍ୟକାରୀ ତାହା
କରଣ କାରକ ହୁଏ ।
ସାଧାରଣତଃ କ୍ରିୟାପଦ ପୂର୍ବରେ ‘କାହାଦ୍ଵାରା’ ଲଗାଇ ପ୍ରଶ୍ନକଲେ ଉତ୍ତରରେ କରଣ କାରକ ମିଳିଥାଏ ।
କରଣ କାରକରେ ତୃତୀୟା ବିଭକ୍ତ ହୁଏ । 
 ସଂପ୍ରଦାନ କାରକ :
ରାଜା ଦରିଦ୍ରମାନଙ୍କୁ ଅନ୍ନଦାନ କଲେ ।
ଗୃହିଣୀ ଭିକାରିକୁ ଭିକ୍ଷା ଦେଲେ ।
ରାଜା ପୁରୋହିତମାନଙ୍କୁ ସୁନା ମୋହର ଦେଲେ ।
ଉଲ୍ଲିଖିତ ବାକ୍ୟଗୁଡ଼ିକରେ ‘ଦରିଦ୍ରମାନଙ୍କୁ', “ଭିକାରି’କୁ ଓ ‘ପୁରୋହିତମାନଙ୍କୁ ଯଥାକ୍ରମେ
ଅନ୍ନ, ଭିକ୍ଷା’ ଓ ‘ସୁନାକ୍ ରୂପେ’ ସମ୍ୟରୂପେ ଦାନ କରାଗଲା । ଦତ୍ତ ବସ୍ତୁର ସେମାନେ ସଂପୂର୍ଣ୍ଣ ଅଧିକାରୀ ।
ଯାହାକୁ କୌଣସି ବସ୍ତୁ ସମ୍ୟରୂପେ ଦାନ କରାଯାଏ, ତାହାର ସଂପ୍ରଦାନ କାରକ ହୁଏ । 
‘ଦରିଦ୍ରମାନଙ୍କୁ', “ଭିକାରିକୁ’ ଓ ‘ପୁରୋହିତମାନଙ୍କୁ ସଂପ୍ରଦାନ କାରକ ଅଟନ୍ତି ।
ଧୋବାକୁ ଲୁଗା ଦିଅ ।
ଦରଜିକୁ କନା ଦିଅ ।
 କନ୍ଥାବାଲାକୁ ଲୁଗା ଦିଅ ।
ଏହି ତିନିଗୋଟି ବାକ୍ୟରେ ‘ଧୋବା’, ‘ଦରଜି’ ଓ ‘କନ୍ଥାବାଲା’ଙ୍କୁ ଦିଆଯାଉଥିବା ବସ୍ତୁର ସେମାନେ
ପୂର୍ଣ୍ଣ ଅଧିକାରୀ ନୁହଁନ୍ତି । ଯେଉଁଠି ଗ୍ରହୀତା ଦତ୍ତ ବସ୍ତୁର ପୂର୍ଣ୍ଣ ଅଧିକାରୀ ହୋଇନଥାନ୍ତି, ସେଠାରେ
ଗ୍ରହୀତାଠାରେ ସଂପ୍ରଦାନ କାରକ ନହୋଇ ସେଠାରେ କର୍ମକାରକ ହୋଇଥାଏ । ତେଣୁ ‘ଧୋବାକୁ’ ‘
ଦରଜିକୁ’ ଓ ‘କନ୍ଥାବାଲାକୁ’ ସଂପ୍ରଦାନ କାରକ ନହୋଇ କର୍ମକାରକ ହେବ ।
ସଂପ୍ରଦାନ କାରକରେ ଚତୁର୍ଥୀ ବିଭକ୍ତ ହୁଏ ।
ଅପାଦାନ କାରକ :
ଗଛରୁ ପତ୍ର ପଡ଼ିଲା ।
ଆକାଶରୁ ଧୂମକେତୁ ଛିଣ୍ଡିଲା ।
ପର୍ବତରୁ ପଥର ଖସିଲା ।
ପ୍ରଦତ୍ତ ବାକ୍ୟଗୁଡ଼ିକରେ ‘ଗଛରୁ ପତ୍ର', ‘ଆକାଶରୁ ଧୂମକେତୁ’ ଓ ‘ପର୍ବତରୁ ପଥର’ ବିଚ୍ଛିନ୍ନ ହୋଇଅଛି ।
‘ପଡ଼ିଲା’, ‘ଛିଣ୍ଡିଲା’ ଓ ‘ଖସିଲା’ କ୍ରିୟା ଦ୍ବାରା ବିଚ୍ଛିନ୍ନ ହେବା ସ୍ପଷ୍ଟ ହେଉଅଛି ।
କ୍ରିୟା ଦ୍ବାରା ଗୋଟିଏ ବସ୍ତୁ ଅନ୍ୟ ବସ୍ତୁଠାରୁ ବିଚ୍ଛିନ୍ନ ହେବା ଜଣାଗଲେ, ଯେଉଁ ବସ୍ତୁଠାରୁ ବିଚ୍ଛିନ୍ନ ହୁଏ, 
ତାହାର ଅପାଦାନ କାରକ ହୋଇଥାଏ ।
ତେଣୁ ଗଛରୁ, ଆକାଶରୁ ଓ ପର୍ବତରୁ ପଦଗୁଡ଼ିକରେ ଅପାଦାନ କାରକ ହେବ ।
କ୍ରିୟାପଦ ପୂର୍ବରୁ ସାଧାରଣତଃ ‘କାହାଠାରୁ’, ‘କେଉଁଠୁ' ଲଗାଇ ପ୍ରଶ୍ନକଲେ, ଉତ୍ତରରେ ଅପାଦାନ କାରକ
ମିଳିଥାଏ । ଯଥା –
ପ୍ରଶ୍ନ
କେଉଁଥିରୁ । କେଉଁଠୁ ପତ୍ର ପଡ଼ିଲା ?
କେଉଁଠୁ । କେଉଁଥିରୁ ଧୂମକେତୁ ଛିଣ୍ଡିଲା ?
କେଉଁଠୁ ।କେଉଁଥିରୁ ପଥର ଖସିଲା ?
ଉତ୍ତର
ଗଛରୁ
ଆକାଶରୁ
ପର୍ବତରୁ
କେବଳ ବିଚ୍ଛିନ୍ନ ନୁହେଁ  ଉତ୍ ପତି, ବିରତି, ଆରମ୍ଭ, ରକ୍ଷା, ମୁକ୍ତି, ଅନ୍ତର୍ଦ୍ଧାନ, ପରାଜୟ ଇତ୍ୟାଦି ଅର୍ଥରେ
ମଧ୍ୟ ଅପାଦାନ କାରକ ହୋଇଥାଏ । ଯଥା –
(କ) କ୍ଷୀରରୁ ଘିଅ ବାହାରେ । (ଉତ୍ପତି)
 (ଖ) ଶ୍ରମିକମାନେ ଆନ୍ଦୋଳନରୁ ବିରତ ହେଲେ । (ବିରତି)
(ଗ) ଖଜୁରୀଗଛ ମୂଳରୁ ପାହାଚ ପାହାଚ । (ଆରମ୍ଭ)
 (ଘ) ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ଅନେକ ବିପଦରୁ ରକ୍ଷା କରିଥିଲେ । (ରକ୍ଷା)
(ଙ) ୧୯୪୭ ମସିହାରେ ଭାରତ ପରାଧୀନତାରୁ ମୁକ୍ତ ହେଲା । (ମୁକ୍ତି)
(ଚ) ମାୟାବଳରେ ଅସୁରମାନେ ସମ୍ମୁଖରୁ ଅନ୍ତର୍ହିତ ହୋଇଯାନ୍ତି । (ଅନ୍ତର୍ଦ୍ଧାନ)
(ଛ) ଗୁରୁ ଶିଷ୍ୟଠାରୁ ପରାଜିତ ହେଲେ ଖୁସି ହୁଅନ୍ତି । (ପରାଜୟ)
ଅପାଦାନ କାରକରେ ପଞ୍ଚମୀ ବିଭକ୍ତି ହୁଏ ।
ଅଧିକରଣ କାରକ :

ଗଛରେ ପକ୍ଷୀଟି ବସିଛି ।
ପୂର୍ଣ୍ଣମୀରେ ପୂର୍ଣ୍ଣଚନ୍ଦ୍ର ଦେଖାଯାଏ ।
ଏଠାରେ ‘ବସିଛି’ କ୍ରିୟାର ସ୍ଥାନ ‘ଗଛ’ ଓ ‘ଦେଖାଯାଏ’ କ୍ରିୟାର ସମୟ ବା କାଳ ‘ପୂର୍ଣ୍ଣମୀ’ । ‘ବସିଛି’
ଓ ‘ଦେଖାଯାଏ’ କ୍ରିୟାଦ୍ୱାରା ସ୍ଥାନ ଓ କାଳ ସୂଚିତ ହେଉଅଛି ।
କ୍ରିୟା ଯେଉଁ ସ୍ଥାନରେ ବା ଯେଉଁ ସମୟରେ ସାଧିତ ହୁଏ,
ସେହି ସମୟର ବା ସ୍ଥାନର ଅଧିକରଣ କାରକ ହୋଇଥାଏ । 
ଏଠାରେ ‘ଗଛରେ’ ଓ ‘ପୂର୍ଣ୍ଣମୀରେ' ଅଧିକରଣ କାରକ ହୋଇଅଛି ।
    କ୍ରିୟାପଦ ପୂର୍ବରୁ ସାଧାରଣତଃ ‘କେଉଁଠାରେ’ ଏବଂ ‘କେତେବେଳେ’ ଲଗାଇ ପ୍ରଶ୍ନକଲେ ଉତ୍ତରରେ
ଅଧିକରଣ କାରକ ମିଳିଥାଏ ।
ପ୍ରଶ୍ନ
କେଉଁଠାରେ ବସିଛି ?
କେତେବେଳେ ପୂର୍ଣ୍ଣଚନ୍ଦ୍ର ଦେଖାଯାଏ
ଉତ୍ତର 
ଗଛରେ
ପୂର୍ଣ୍ଣମୀରେ
ଏହି ଦୃଷ୍ଟିରୁ ଅଧିକରଣ କାରକ ଦୁଇ ଭାଗରେ ବିଭକ୍ତ । ଯଥା (କ) ସ୍ଥାନାଧିକରଣ ବା
ଆଧାରାଧିକରଣ ଓ (ଖ) କାଳାଧିକରଣା ।
ଯେଉଁ ପଦଦ୍ୱାରା କ୍ରିୟାର ସ୍ଥାନ ସୂଚିତ ହୁଏ ତାହା ସ୍ଥାନାଧିକରଣ ବା ଆଧାରାଧିକରଣ ହୁଏ ।
ମାଠିଆରେ ଜଳ ଅଛି ।
ସେହିପରି ଯେଉଁପଦଦ୍ଵାରା କ୍ରିୟା ଯେଉଁ ସମୟରେ ସାଧିତ ହୁଏ ବା ହେଲା ବୋଲି ଜଣାଯାଏ, 
ତାହାଠାରେ କାଳାଧିକରଣ ହୁଏ ।
ଯଥା – ବର୍ଷାଋତୁରେ କଦମ୍ବଫୁଲ ଫୁଟେ ।
ଆଧାରାଧିକରଣ ତ୍ରିବିଧ । ଯଥା –
(କ) ଐକଦେଶିକ ଆଧାରାଧିକରଣ
ଉଦାହରଣ – ଗଛରେ ଫୁଲ ଫୁଟିଅଛି ।
(ଖ) ବୈଷୟିକ ଆଧାରାଧିକରଣ
ଉଦାହରଣ – ବିନୟବାବୁ ବ୍ୟାକରଣରେ ପ୍ରବୀଣ ।
(ଗ) ଅଭିବ୍ୟାପକ  ଆଧାରାଧିକରଣ
ଉଦାହରଣ – ତିଳରେ ତେଲ ଥାଏ ।

ବିଭକ୍ତି 
 “ଲୋକମାନେ ଦେଶର ଉନ୍ନତି ପାଇଁ ନିଜର ସ୍ବାର୍ଥକୁ ବଳିଦେବା ଉଚିତ ।” 
ଅନ୍ୟାନ୍ୟ ବାକ୍ୟପରି ଏହି ବାକ୍ୟଟି ମଧ୍ୟ କେତେଗୋଟି ପଦର ସମାହାର ଅଟେ । ଏଥିରେ ‘ମାନେ’
(ଲୋକମାନେ), ର (ଦେଶର, ନିଜର) ‘ପାଇଁ’ (ଉନ୍ନତି ପାଇଁ), ‘କୁ' (ସ୍ୱାର୍ଥକୁ) ବ୍ୟବହାର କରାଯାଇ
ବାକ୍ୟଟିକୁ ବିଭିନ୍ନ ପଦରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ଦ୍ଵାରା ସଂଖ୍ୟା ଓ କାରକର ପ୍ରତୀତି ଘଟୁଅଛି ।
ଏଗୁଡ଼ିକ ଗୋଟିଏ ଗୋଟିଏ ବର୍ଣ୍ଣ ବା ଏକାଧିକ ବର୍ଣ୍ଣର ସମଷ୍ଟି ଅଟନ୍ତି । ତେଣୁ ଯେଉଁ ବର୍ଷ ବା ବର୍ଣ୍ଣସମଷ୍ଟି 
ଦ୍ଵାରା ସଂଖ୍ୟା (ଏକବଚନ, ବହୁବଚନ) କାରକ (କର୍ତ୍ତା, କର୍ମ, କରଣ ପ୍ରଭୃତି ) ସୂଚିତ ହୁଏ ତାହାକୁ ବିଭକ୍ତି 
କୁହାଯାଏ । ଯଥା – ପ୍ରଥମା ବିଭକ୍ତ, ଦ୍ଵିତୀୟା ବିଭକ୍ତି, ତୃତୀୟା ବିଭକ୍ତି ଇତ୍ୟାଦି । ବିଭକ୍ତି ଶବ୍ଦଟି ବି-ଉପସର୍ଗ
‘ଭଜ୍’ ଧାତୁ ଓ ତି’ ପ୍ରତ୍ୟୟ ଯୋଗରେ ଗଠିତ, ଯାହାର ଆଭିଧାନିକ ଅର୍ଥ ହେଉଛି ବିଭାଗ ବା ବଣ୍ଟନ କରିବା ।
 ବିଭକ୍ତି ସାତ ଭାଗରେ ବିଭକ୍ତ, ଯଥା – ପ୍ରଥମା, ଦ୍ବିତୀୟା, ତୃତୀୟା, ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ଓ ସପ୍ତମୀ
ବିଭକ୍ତ । ଓଡ଼ିଆ ଭାଷାରେ ପ୍ରଚଳିତ ବିଭିନ୍ନ କାରକରେ ବ୍ୟବହୃତ ବିଭକ୍ତି ଚିହ୍ନଗୁଡ଼ିକୁ ଏକବଚନ ଓ ବହୁବଚନ
ଭେଦରେ ନିମ୍ନମତେ ପ୍ରଦର୍ଶନ କରାଯାଇଥାଏ । ଯଥା –
କାରକ 
କର୍ତ୍ତା
କର୍ମ 
କରଣ
ସଂପ୍ରଦାନ
ଅପାଦାନ
ଅଧିକରଣ
ବିଭକ୍ତ
ପ୍ରଥମ
ଦ୍ଵିତୀୟା
ତୃତୀୟା
ଚତୁର୍ଥୀ
ପଞ୍ଚମୀ
ଷଷ୍ଠୀ
 ସପ୍ତମୀ
ଏକବଚନ ଚିହ୍ନ
ଟି, ଟା, ଟେ, ଟାଏ, ଟିଏ
କୁ, ଙ୍କୁ, କି, ଙ୍କି, ଠାକୁ
ଏ, ରେ, ଦ୍ୱାରା, ଦେହି, ଦେଇ, କର୍ତ୍ତୃକ
କୁ, ଙ୍କୁ, କି, ଙ୍କି, ପାଇଁ, ନିମିତ୍ତ, ସକାଶ
ରୁ, ଠାରୁ, ଉ, ହଁ, ହୁଁ, ଠୁ, ଠୁଁ, ଠଉଁ
ର, ଙ୍କ, ଙ୍କର
ଏ, ରେ, ଠାରେ, ଠାଇଁ, ଠି, ଠେଇଁ ତହିଁ
 ବହୁବଚନର ଚିହ୍ନ
ଏ, ମାନ, ମାନେ, ଗୁଡ଼ିକ, ଗୁଡ଼ାକ
ଙ୍କୁ, ମାନଙ୍କୁ, ମାନଙ୍କଠାକୁ, ଗୁଡ଼ିକୁ, ଗୁଡାକୁ
ନଙ୍କ ଦ୍ଵାରା, ମାନଙ୍କଦେଇ, ମାନଙ୍କ ଦେହି,ମାନଙ୍କ କର୍ତ୍ତୃକ
କୁ, ମାନଙ୍କୁ, ମାନଙ୍କ ପାଇଁ, ମାନଙ୍କ ନିମିତ୍ତ,ମାନଙ୍କ ସକାଶ
ମାନଙ୍କରୁ, ମାନଙ୍କଠାରୁ,ମାନଙ୍କ, ମାନଙ୍କଠୁଁ,ମାନଙ୍କଠଉଁ,ଗୁଡିକରୁ,ଗୁଡାକରୁ
ଙ୍କର, ମାନଙ୍କ, ମାନଙ୍କର, ଗୁଡ଼ିକର
ମାନଙ୍କରେ, ମାନଙ୍କଠାରେ, ମାନଙ୍କଠାଇଁ,
ମାନଙ୍କଠେଇଁ, ଗୁଡ଼ିକରେ, ଗୁଡ଼ିକଠାରେ, ଗୁଡ଼ିକଠେଇଁ, ଗୁଡ଼ିକଠି
ବିଭକ୍ତିର ବ୍ୟବହାର : 
 ପ୍ରଥମ ବିଭକ୍ତି
(କ) କର୍ତ୍ତା କାରକରେ ପ୍ରଥମା ବିଭକ୍ତି ।
ଯଥା – ରାମ ଖାଉଅଛି, ଗାଈଟି ଚରୁଅଛି, ପିଲାମାନେ ଆସୁଥିଲେ,
ଘୋଡ଼ାଗୁଡ଼ିକ ଦୌଡ଼ୁଛନ୍ତି ।
(ଖ) ସମ୍ବୋଧନରେ ପ୍ରଥମ ବିଭକ୍ତି ।
ଯଥା – ପ୍ରଧାନେ ବସନ୍ତୁ, ବାଳକେ ବୋଲ ମାନ ।
(ଗ) କ୍ରିୟାପଦ ନଥାଇ କେବଳ ପଦାର୍ଥ ବା ବ୍ୟକ୍ତିକୁ ନିର୍ଦ୍ଦେଶ କରିବା ପାଇଁ ପ୍ରଥମା ବିଭକ୍ତି ।
ଯଥା – ରାମ, ପକ୍ଷୀ, କୀଟ, ଫଳ, ଦେବତା, ଇତ୍ୟାଦି । (କିଏ ରାମ କି ?)
(ଘ) କେତେକ ଅବ୍ୟୟ ଯୋଗରେ ପ୍ରଥମ ବିଭକ୍ତି । ।
ଯଥା – ଆମ ଗ୍ରାମରେ ରମା ବୋଲି ଝିଅଟିଏ ଅଛି ।
(ଙ) କର୍ମବାଚ୍ୟରେ ବାକ୍ୟରେ କର୍ମର ପ୍ରଥମ ବିଭକ୍ତି ।
ଯଥା – ସୀତାଦ୍ଵାରା ପ୍ରବନ୍ଧଟି ପାଠ କରାଗଲା । ]
(ଚ) ସଂଖ୍ୟାବାଚକ ଶବ୍ଦ ପ୍ରୟୋଗରେ ପ୍ରଥମ ବିଭକ୍ତି ।
ଯଥା – କ୍ରିକେଟ୍ ଖେଳରେ ଗୋଟିଏ ଦଳରେ ଏଗାରଟି ଖେଳାଳି ଖେଳିଥାନ୍ତି ।
ଦ୍ୱିତୀୟା ବିଭକ୍ତି
(କ) କର୍ମବାଚ୍ୟରେ ଦ୍ୱିତୀୟା ବିଭକ୍ତି
ଯଥା – ପିଲାମାନେ ବିଦ୍ୟାଳୟକୁ ଯାଉଛନ୍ତି ।
(ଖ) ଧିକ୍ ଯୋଗେ  ଦ୍ଵିତୀୟା ବିଭକ୍ତି
ଯଥା – ଦେଶଦ୍ରୋହୀକୁ କି ଧକ୍ ।
(ଗ) ଅତ୍ୟନ୍ତ ସଂଯୋଗ ବା ବ୍ୟାପ୍ତି ଅର୍ଥରେ ମାର୍ଗ ବା କାଳବାଚକ ଶବ୍ଦର ଦ୍ୱିତୀୟା ବିଭକ୍ତି ।
ଯଥା – କୃଷ୍ଣ ଚାରୁଦିନକୁ କଣ୍ଟକରି ମଥୁରା ଗଲେ ।(ଚାରିଦିନ ବ୍ୟାପି)
(ଘ) ନିକଟାର୍ଥକ ଓ ଦୂରାର୍ଥକ ଶବ୍ଦ ଯୋଗରେ ଦ୍ଵିତୀୟା ବିଭକ୍ତି ।
ଯଥା – କଟକକୁ ଭୁବନେଶ୍ଵର ତିରିଶି କିଲୋମିଟର ।
(ଙ) ‘ଅନୁସାରେ’ ଏହି ଅର୍ଥ ବୁଝାଇବାପାଇଁ ଦ୍ଵିତୀୟା ବିଭକ୍ତି ।
ଯଥା – ତା’ କର୍ମକୁ ଏପରି ଫଳିଲା ।
(ଚ) ବୀସା ବା ଦିରୁକ୍ତି ବୁଝାଇବାପାଇଁ ଦ୍ଵିତୀୟା ବିଭକ୍ତି ।
ଯଥା – ଦିନକୁ ଦିନ, ମାସକୁ ମାସ, ବର୍ଷକୁ ବର୍ଷ, ଘରକୁ ଘର ।
(ଛ) କ୍କର୍ମବାଚ୍ୟ ଓ ଭାବବାଚ୍ୟରେ କର୍ତ୍ତାର ଦ୍ୱିତୀୟା ବିଭକ୍ତି ।
ଯଥା – ତୁମକୁ ଆଜି ଘରକୁ ଯିବାକୁ ହେବ । (କର୍ମ ବାଟ୍ୟ)
ରାମକୁ ଖେଳି ଆସେ । (ଭାବବାଚୀ)
(ଜ) ମୂଲ୍ୟ ଅର୍ଥରେ ଦ୍ଵିତୀୟା ବିଭକ୍ତି ।
ଯଥା – ଟଙ୍କାକୁ ଖଣ୍ଡ ପାନ ।
ଧାନବସ୍ତାକୁ ହଜାରେ ଟଙ୍କା ।
(ଝ) ଉପଯୁକ୍ତ ବା ତୁଳନା ଅର୍ଥରେ ଦ୍ଵିତୀୟା ବିଭକ୍ତି ।
ଯଥା – ଯାହାକୁ ଯିଏ ବିରିକି ଋଉଳ ତିନ୍ତେଇ ଦିଏ ।
ତୃତୀୟା ବିଭକ୍ତି
(କ) କରଣକାରକରେ ତୃତୀୟା ବିଭକ୍ତି ।
ଯଥା – ସାମନ୍ତ ଚନ୍ଦ୍ରଶେଖର କାଠିରେ ପାହାଡ଼ର ଉଚ୍ଚତା ମାପୁଥିଲେ ।
(ଖ) କ୍ରିୟା ବିଶେଷଣରେ ତୃତୀୟା ବିଭକ୍ତି ।
ଯଥା – ପବନ ଧୀରେ ବହୁଛି ।
(ଗ) ମୂଲ୍ୟ ଅର୍ଥରେ ତୃତୀୟା ବିଭକ୍ତି ।
ଯଥା – ଦଶଟଙ୍କାରେ କଡ଼ାଏ । ଗୋଟିଏ ନଡ଼ିଆ ।
(ଘ) ବେଶି, ଊଣା, ହୀନ, ସାନବଡ଼ ପ୍ରଭୃତି ଶବ୍ଦ ପ୍ରୟୋଗରେ ତୃତୀୟା ।
ଯଥା – ଶ୍ୟାମବନ୍ଧୁ ଧନରେ ବଡ଼ । ସେ କର୍ମରେ ହୀନ ।
ହରି ମୋଠାରୁ ବୟସରେ ଉଣା, ଗୋପାଳ ଉଚ୍ଚରେ ସାନ ।
(ଙ) ନାମ, ଗୋତ୍ର, ଜାତି, ବର୍ଣ୍ଣ, ସ୍ଵଭାବ, ପ୍ରକୃତି ଆଦି ଶବ୍ଦ ଯୋଗରେ ତୃତୀୟା ।
ଯଥା – ବିରାଟଙ୍କ ନାଁ ରେ ରାଜ୍ୟକାର୍ଯ୍ୟ ଚାଲୁଥିଲା ।
ସୀତା ସ୍ଵଭାବରେ ସରଳ ।
ସେ ଜାତିରେ କରଣ ଅଟେ ।
ନିମ୍ବ ପ୍ରକୃତିରେ ପିତା ।
ସେ ବର୍ଣରେ କଳା ।
ସେ ଗୋତ୍ରରେ କାଶ୍ୟପ ।
(ଚ) ଅଙ୍ଗ ବିକାରରେ ତୃତୀୟା ।
ଯଥା – ଗୋପାଳ ପାଦରେ ଖଞ୍ଜ ।
ହରି ହାତରେ କେମ୍ପା ।
(ଛ) କ୍ରିୟା ସମାପ୍ତି ବା ଫଳପ୍ରାପ୍ତି ବୁଝାଇଲେ କାଳ ଓ ମାର୍ଗ ବାଚକ ଶବ୍ଦରେ ତୃତୀୟା ।
ଯଥା – ଦୁଇ ବର୍ଷରେ ପୋଲ କାମ ସରିଲା ।
(ଜ) କାରଣ ବା ହେତୁ ଅର୍ଥରେ ତୃତୀୟା ।।
ଯଥା – ମୁନି ଅଭିଶାପରେ ଯଦୁବଂଶ କ୍ଷୟ ଗଲା ।
ସେ ରୋଗରେ କଷ୍ଟ ପାଉଛନ୍ତି ।
(ଝ) ପ୍ରୟୋଜନାର୍ଥକ ଓ ବାରଣାର୍ଥକ ପଦଯୋଗରେ ତୃତୀୟା । ।
ଯଥା – ଚରିତ୍ରନଥିଲେ ଗୁଣରେ କି ପ୍ରୟୋଜନ ?
ଶାନଥିଲେ ଜୀବନରେ କି ଲାଭ ?
ବୁଦ୍ଧିନଥିଲେ ବିଦ୍ୟାରେ କି ଫଳ ?
ଚତୁର୍ଥୀ ବିଭକ୍ତି
(କ) ସଂପ୍ରଦାନ କାରକରେ ଚତୁର୍ଥୀ ବିଭକ୍ତି ।
ଯଥା – ମାନ୍ୟବର ରାଜ୍ୟପାଳ ଭିନ୍ନକ୍ଷମଙ୍କୁ ଗାଡ଼ି ଦାନ କଲେ ।
(ଖ) ନିବାରଣ ଅର୍ଥରେ ଚତୁର୍ଥୀ।
ଯଥା – ଡାକ୍ତର ରୋଗୀକୁ ଔଷଧ ଦେଲେ ।
ମଶାକୁ ଧୂଆଁ ଦିଅ ।
(ଗ) ନିମିତ୍ତାର୍ଥ ଚତୁର୍ଥୀ ବିଭକ୍ତି ।
ଯଥା – ସ୍ଵର୍ଗକୁ ନିଶୁଣି ନାହିଁ ।
ବଡ଼ଲୋକକୁ ଉତ୍ତର ନାହିଁ ।
ପଞ୍ଚମୀ ବିଭକ୍ତି
(କ) ଅପାଦାନ କାରକରେ ପଞ୍ଚମୀ ବିଭକ୍ତି ।
ଯଥା – ଗଛରୁ ପତ୍ର ପଡ଼ିଲା ।
(ଖ) ହେତୁ ବା କାରଣ ବୁଝାଇଲେ ପଞ୍ଚମୀ ବିଭକ୍ତି ।
ଯଥା – ନିଜ ଦୋଷରୁ ପ୍ରାଣୀ କଷ୍ଟ ପାଏ ।
ବ୍ୟବହାରରୁ ବିଦ୍ୟା ଜଣାଯାଏ ।
(ଗ) ଭିନ୍ନ ବା ଅଲଗା ବୁଝାଇଲେ ପଞ୍ଚମୀ ବିଭକ୍ତି ।
ଯଥା – କଥାରୁ କାମ ଅଲଗା ହେଲେ ଗଲା ।
(ଘ) ତୁଳନାତ୍ମକ ଭାବେ ଉତ୍କର୍ଷ ବା ଅପକର୍ଷ ବୁଝାଇଲେ ପଞ୍ଚମୀ ବିଭକ୍ତି ।
ଯଥା – ସିଂହ ହାତୀଠାରୁ ବେଶୀ ବଳବାନ୍ ।
ହୀରା ସୁନାଠାରୁ ମୂଲ୍ୟବାନ୍ ।
(ଙ) ଦିଗ ନିର୍ଣ୍ଣୟରେ ଯେଉଁଠାରୁ ଦିଗ ନିର୍ଣ୍ଣୀତ ହୁଏ, ତାହାର ପଞ୍ଚମୀ ବିଭକ୍ତି ହୁଏ ।
ଯଥା – ପୁରୀଠାରୁ ପୂର୍ବକୁ ସମୁଦ୍ର ।
କଟକଠାରୁ ଦକ୍ଷିଣରେ ପୁରୀ ଅବସ୍ଥିତ ।
(ଚ) ମାର୍ଗ ଏବଂ କାଳର ପରିବ୍ୟାପ୍ତିରେ ପଞ୍ଚମୀ ବିଭକ୍ତି ।
ଯଥା – ଅତୀତରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।
କାର୍ତ୍ତିକଠାରୁ ଶୀତ ଆରମ୍ଭ ହୁଏ ।
(ଛ) ଅସମାପିକା କ୍ରିୟା ଲୋପହେଲେ ସେଇ କ୍ରିୟାର କର୍ମ ଓ ଅଧିକରଣ ସ୍ଥାନରେ ପଞ୍ଚମୀ ବିଭକ୍ତି ।
ଯଥା – ସେ କୋଠାରୁ ଦେଖୁଛି । (କୋଠାରେ ଚଢ଼ି)
ମୁଁ ତାଙ୍କୁ ଦୂରରୁ ଦେଖୁଲି । (ଦୂରରେ ରହି)
(ଜ) ରକ୍ଷାର୍ଥ, ପରାଜୟ ଆଦି ଶବ୍ଦ ଯୋଗରେ ପଞ୍ଚମୀ ।
ଯଥା – ଈଶ୍ବର ତୁମକୁ ବିପଦରୁ ରକ୍ଷା କରନ୍ତୁ ।
ତୁମେ ତୁମ ଭାଷାକୁ ସଂକଟରୁ ରକ୍ଷା କର ।
କାଞ୍ଚିରାଜା ପୁରୁଷୋତ୍ତମଦେବଙ୍କଠାରୁ ପରାସ୍ତ ହୋଇଥିଲେ ।
ପାଣ୍ଡବମାନେ କୌରବମାନଙ୍କଠାରୁ ନୀତିବାନ୍ ଥିଲେ ।
 ଷଷ୍ଠୀ ବିଭକ୍ତି
କ୍ରିୟା ସହିତ ଏହି ବିଭକ୍ତିର କୌଣସି ସମ୍ବନ୍ଧ ନଥାଏ, ତେଣୁ ଏହାକୁ କାରକର ଅନ୍ତର୍ଭୁକ୍ତ
କରାଯାଇ ନାହିଁ । ଏହା ସମ୍ବନ୍ଧ ପଦ ଭାବରେ ପରିଚିତ ।
ଯଥା – ନଦୀର ଜଳ, ହରିର ବହି, ଦେଶର ରାଜା ଇତ୍ୟାଦି ।
ସମ୍ବନ୍ଧ ବିଭିନ୍ନ ପ୍ରକାରର ହୋଇପାରେ । ଯଥା – କାରକ ସମ୍ବନ୍ଧ, ସେବ୍ୟସେବକ ସମ୍ବନ୍ଧ,
ଜନ୍ୟଜନକ ସମ୍ବନ୍ଧ, ଆଧାର ଆଧେୟ ସମ୍ବନ୍ଧ, କାର୍ଯ୍ୟକାରଣ ସମ୍ବନ୍ଧ, ବିଶେଷଣ ସମ୍ବନ୍ଧ,
ବ୍ୟାପ୍ତି ସମ୍ବନ୍ଧ ପ୍ରଭୃତି ।
(କ) କାରକ ସମ୍ବନ୍ଧ :
କାରକ ଛ’ ଭାଗରେ ବିଭକ୍ତ, ତେଣୁ ସମ୍ବନ୍ଧପଦ ମଧ୍ୟ ଷଡ଼ବିଧ । ଯଥା;
କର୍ତ୍ତା ସମ୍ବନ୍ଧ, କର୍ମ ସମ୍ବନ୍ଧ, କରଣ ସମ୍ବନ୍ଧ, ସଂପ୍ରଦାନ ସମ୍ବନ୍ଧ, ଅପାଦାନ ସମ୍ବନ୍ଧ ଓ ଅଧିକରଣ ସମ୍ବନ୍ଧ ।
କର୍ତ୍ତୃ ସମ୍ବନ୍ଧ :
ସମୟର ଗତି ଅନିବାର୍ଯ୍ୟ । ଏଠାରେ ସମୟ ଗତି କରୁଅଛି, ଏହି ପଦଟି କର୍ତ୍ତା; ତେଣୁ ‘ସମୟର ଗତି’
 ପଦଟି କର୍ତ୍ତା ସମ୍ବନ୍ଧ ପ୍ରକାଶ କରୁଅଛି । ସେହିପରି – ଆମ୍ଭମାନଙ୍କର କର୍ତ୍ତବ୍ୟ, ନାଗରିକର ଅଧିକାର, ସମୟର ଆହ୍ୱାନ ଇତ୍ୟାଦି ।
କର୍ମ ସମ୍ବନ୍ଧ :
ସମସ୍ତେ ବିଦ୍ୟାର ସାଧନା କରିବା ଉଚିତ । ଏଠାରେ ବିଦ୍ୟାକୁ ସାଧନା କରିବା ଅର୍ଥ ପ୍ରକାଶ
କରୁଥିବାରୁ ‘ବିଦ୍ୟାର’ ପଦଟି କର୍ମସମ୍ବନ୍ଧ ପ୍ରକାଶ କରୁଅଛି । ସେହିପରି ଅନ୍ୟ ଦୃଷ୍ଟାନ୍ତ ହୋଇପାରିବ – ଈଶ୍ଵରଙ୍କ ଉପାସନା, ଧନର ଅର୍ଜନ, ପୁସ୍ତକର ଅଧ୍ୟୟନ ଇତ୍ୟାଦି ।
କରଣ ସମ୍ବନ୍ଧ :
ଦୁର୍ଯ୍ୟୋଧନ ବାରମ୍ବାର ଗଦାର ଆଘାତରେ ମୃତ୍ୟୁ ଲଭିଲେ । ଏଠାରେ ‘ଗଦାର ଆଘାତ’ ଅର୍ଥ
ଗଦାଦ୍ୱାରା, ଅର୍ଥାତ ‘ଗଦାର’ ପଦଟି କରଣ ସମ୍ବନ୍ଧ ପ୍ରକାଶ କରୁଅଛି । ସେହିପରି – ରୋଗର
ଯନ୍ତ୍ରଣା, ଶରର ଆଘାତ, କ୍ଷୁଧାର ପୀଡ଼ା ଇତ୍ୟାଦି ।
 ସଂପ୍ରଦାନ ସମ୍ବନ୍ଧ :
ପୁରୋହିତଙ୍କୁ ବସ୍ତ୍ର ଦିଅ । ଏଠାରେ ‘ପୁରୋହିତଙ୍କୁ ବସ୍ତ୍ର’ ଅର୍ଥ ପୁରୋହିତଙ୍କ ପାଇଁ ଉଦ୍ଦିଷ୍ଟ ବସ୍ତ୍ର ।
ଅର୍ଥାତ୍ ‘ପୁରୋହିତଙ୍କ’ ପଦଟି ସଂପ୍ରଦାନ ସମ୍ବନ୍ଧ ପ୍ରକାଶ କରୁଅଛି । ସେହିପରି ଅନ୍ୟ ଦୃଷ୍ଟାନ୍ତ
ହେବ – ଭିକାରିର ରୁଟି, ବାଇଆଣୀର ଭାତ ଓ କୁକୁରର ମାଂସ ଇତ୍ୟାଦି ।
 ଅପାଦାନ ସମ୍ବନ୍ଧ :
ଏହି ଅଞ୍ଚଳରେ ହାତୀର ଭୟ ଅଛି । ଏଠାରେ ‘ହାତୀର ଭୟ’ ଅର୍ଥ ହେଉଛି ‘ ହାତୀଠାରୁ ଭୟ’,
ତେଣୁ ‘ହାତୀର ଭୟ’ ପଦଟି ଅପାଦାନ ସମ୍ବନ୍ଧ ପ୍ରକାଶ କରୁଅଛି । ସେହିପରି ସର୍ପର ଭୟ,
ଗୁରୁଙ୍କ ଉପଦେଶ, ପିତାଙ୍କ ଭର୍ସନା ଇତ୍ୟାଦି ।



ଅଧିକରଣ ସମ୍ବନ୍ଧ :
ତାଙ୍କର କଳାର ଅନୁରାଗ ସମସ୍ତଙ୍କୁ ମୁଗ୍ଧ କରେ । ଏଠାରେ ‘କଳାର ଅନୁରାଗ’ ଅର୍ଥ ହେଉଛି ‘କଳାରେ ଅନୁରାଗ’ । ତେଣୁ ‘କଳାର’ ପଦଟି ଅଧୁକରଣ ସମ୍ବନ୍ଧ ପ୍ରକାଶ କରୁଅଛି । ସେହିପରି ସଂଧ୍ୟାର ଭ୍ରମଣ, ଉଦ୍ୟାନର ଫୁଲ ଓ ସାୟୀକାଳର ଭ୍ରମଣ ପ୍ରଭୃତି ।
(ଖ) ସେବ୍ୟସେବକ ସମ୍ବନ୍ଧ :
ଯଥା – ପ୍ରଭୁଙ୍କ ଭୃତ୍ୟ, ଦେବଙ୍କ ଭକ୍ତ ।
(ଗ) କନ୍ୟ ଜନକ ସମ୍ବନ୍ଧ :
ଯଥା – ହରିର ପୁଅ, କନକର ଝିଅ, ପବନର ପୁତ୍ର ।
(ଘ) ଆଧାରଆଧେୟ ସମ୍ବନ୍ଧ :
ଯଥା – ପୁଷ୍କରିଣୀର ଜଳ, ଜମିର ଧାନ, ବସ୍ତାର ଋଉଳ ।
(ଙ) କାର୍ଯ୍ୟକାରଣ ସମ୍ବନ୍ଧ :
ଯଥା – ପରିଶ୍ରମର ଫଳ, ପାପର ପରିଣାମ, ପୁଣ୍ୟର ଫଳ ।
(ଚ) ବିଶେଷଣ ସମ୍ବନ୍ଧ :
ଯଥା – ଗୁଣର ପିଲା, ସୁଖର ଦିନ, ଆଦରର କନ୍ୟା ।
(ଛ) ଅଙ୍ଗାଙ୍ଗୀଭାବ ସମ୍ବନ୍ଧ :
ଯଥା – ମଇଁଷିର ଶିଙ୍ଘ, ଗାଈର ଲାଞ୍ଜ, ହାତୀର କାନ ।
(ଜ) ଅଭେଦ ବା ରୂପକ ସମ୍ବନ୍ଧ :
ଯଥା – ଜ୍ଞାନର ପ୍ରଦୀପ, କ୍ଷମାର ସାଗର, କରୁଣାର ସିନ୍ଧୁ ।
(ଝ) ବ୍ୟାପ୍ତି ସମ୍ବନ୍ଧ :
ଯଥା – ସପ୍ତାହର ଛୁଟି, ମାସକର କାମ, ଘଣ୍ଟାକର ପାଠ ।
(ଞ୍ଜ) ସମାର୍ଥରେ ଷଷ୍ଠୀ ବିଭକ୍ତି :
ଯଥା – ତାଙ୍କ ସହିତ ମୋର ଶତ୍ରତା ନାହିଁ ।
ରାମ ଅନୁଜ ଓ ପତ୍ନୀଙ୍କ ସହିତ ବଣକୁ ଗଲେ ।
(ଟ) ବିନା, ପରି, ପ୍ରତି ଆଦି ଶବ୍ଦ ପ୍ରୟୋଗରେ ଷଷ୍ଠୀ ବିଭକ୍ତି :
ଯଥା – ତୁମ ବିନା ମୋର ଗତି ନାହିଁ ।
ମହାତ୍ମାଗାନ୍ଧୀଙ୍କ ପରି ଆଉ କିଏ ସହିଷ୍ଣୁ ଅଛି ?
ଗରିବଙ୍କ ପ୍ରତି ଦୟା କର ।
(ଠ) ନିମିତ୍ତାର୍ଥ ଶବ୍ଦ ଯୋଗରେ ଷଷ୍ଠୀ ବିଭକ୍ତି :
ଯଥା – ଜଳର ନିମନ୍ତେ ସେ ନଦୀକୁ ଗଲା ।
ପୁଣ୍ୟର ନିମନ୍ତେ ସେ ଦାନ କରୁଅଛି ।
(ଡ) ନିର୍ଦ୍ଧାରଣରେ ଷଷ୍ଠୀ ବିଭକ୍ତି :
(ଗୋଟିକର ଗୁଣ ବା ଦୋଷଦ୍ଵାରା ଅନ୍ୟଠାରୁ ପୃଥକ କରି ନିର୍ଦ୍ଧାରଣ କଲେ ଷଷ୍ଠୀ ବିଭକ୍ତି ହୁଏ ।)
ଯଥା – କାଳିଦାସ କବିମାନଙ୍କର ମଉଡ଼ମଣି ।
ସିଂହ ପଶୁମାନଙ୍କର ରାଜା ।

 ସପ୍ତମୀ ବିଭକ୍ତି
(କ) ଅଧିକରଣ କାରକରେ ସପ୍ତମୀ ବିଭକ୍ତ ହୁଏ ।
ଯଥା – ବର୍ଷାକାଳରେ କଦମ୍ବ ଫୁଟେ ।
ପୁଷ୍କରିଣୀରେ ପଦ୍ମ ଫୁଟିଅଛି ।
(ଖ) ଭାବେ ସପ୍ତମୀ ।
ଯଥା – ସୂର୍ଯ୍ୟ ଉଦୟରେ ପଦ୍ମ ଫୁଟେ । (ଉଦୟ ହେଲେ)
ବର୍ଷା ଆଗମନରେ କୃଷକ ଆନନ୍ଦିତ ହୁଅନ୍ତି ।
(ଗ) ବୀପ୍ରସାର୍ଥରେ ବା ପୁନଃପୁନଃ ଉଲ୍ଲେଖ ସ୍ଥଳରେ ସପ୍ତମୀ ।
ଯଥା – ଦେଶେଦେଶେ ଆଜି ଓଡ଼ିଶୀ ନୃତ୍ୟ ବ୍ୟାପି ଗଲାଣି ।
ଘରେଘରେ ବିଜୁଳିବତି ଜଳିଲାଣି ।
(ଘ) ପ୍ରୟୋଜନାର୍ଥକ ଶବ୍ଦ ଯୋଗରେ ସପ୍ତମୀ ।
ଯଥା – ସନ୍ନ୍ୟାସୀର ଧନରେ କି ପ୍ରୟୋଜନ ?
ନାସ୍ତିକର ବିଗ୍ରହରେ କି ପ୍ରୟୋଜନ ?
(ଙ) ଅନ୍ୟାନ୍ୟ ସାଦୃଶ୍ୟ ଓ ଅସାଦୃଶ୍ୟରେ ସପ୍ତମୀ ।
ଯଥା – ଭାଇଭାଇରେ କଳି । (ଅନ୍ୟାନ୍ୟ ସାଦୃଶ୍ୟ ଅର୍ଥରେ)
ଘରେ ବାହାରେ ନିନ୍ଦା । (ଅନ୍ୟାନ୍ୟ ଅସାଦୃଶ୍ୟ ଅର୍ଥରେ)
(ଚ) ସାଧୁ, ନିପୁଣ, କୁଶଳ, ପଟୁ, ଦକ୍ଷ ଆଦି ଶବ୍ଦ ଯୋଗରେ ସପ୍ତମୀ ।
ଯଥା – ସେ ବ୍ୟାକରଣରେ ପଟୁ ।
ରାମ ସଙ୍ଗୀତରେ ନିପୁଣ ।
 ପ୍ରାଚୀନ ପ୍ରୟୋଗ ଓ ସାଂପ୍ରତିକ କାଳର ବ୍ୟବହାରରେ ଓଡ଼ିଆ ବିଭକ୍ତିରେ କେତେକ
ପାର୍ଥକ୍ୟ ପରିଦୃଷ୍ଟ ହୁଏ । ଯଥା – ଦ୍ଵିତୀୟା ବିଭକ୍ତିରେ ସଂପ୍ରତି କୁ, ଙ୍କୁ, ମାନଙ୍କୁ, କି, କି
ଇତ୍ୟାଦି ବ୍ୟବହୃତ ହେଉଥିବା ସ୍ଥଳେ ପ୍ରାଚୀନ ପ୍ରୟୋଗରେ ‘ନ୍ତ’ର ପ୍ରୟୋଗ ଦେଖବାକୁ
ମିଳେ ଯଥା – ଆମ୍ଭନ୍ତ (ଆମ୍ଭମାନଙ୍କୁ), ତୁମ୍ଭନ୍ତ (ତୁମ୍ଭମାନଙ୍କୁ) ଇତ୍ୟାଦି । ସେହିପର ‘କୁ’
ସ୍ଥାନରେ ‘କଇ’ ‘କରଂ’ , କୈ ଆଦିର ବ୍ୟବହାର ରହିଅଛି ଯଥା – “ ତାହାକୁ’ ସ୍ଥାନରେ
ତାହାକଇ, ତାହାକଇଂ; ତାହାକୈ, ତାହାକୈଁ ଇତ୍ୟାଦି ।
ବିଭକ୍ତି ଚିହ୍ନଗୁଡ଼ିକର ଗଠନ ଦୃଷ୍ଟିରୁ ଏଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ । ଯଥା –
ମୌଳିକ ବା ସ୍ଵରମୂଳକ ଏବଂ ଅନୁସର୍ଗାତ୍ମକ ବା ବ୍ୟଞ୍ଜନମୂଳକ । ଏ, ଏଁ, ଏଣ, ଉ, ଉଁ ଇତ୍ୟାଦି
ସ୍ଵର ମୂଳକ ଏବଂ କୁ, ଟି, ଟା, ରେ, ଦ୍ୱାରା, ର, ରେ, ରୁ ଇତ୍ୟାଦି ବ୍ୟଞ୍ଜନମୂଳକ । କେତେକ
ବ୍ୟାକରଣକାର ବିଶ୍ୱାସ କରନ୍ତି ଯେ – ପ୍ରଥମେ ଏହି ସ୍ଵରମୂଳକ (ମୌଳିକ) ବିଭକ୍ତି ଚିହ୍ନଗୁଡ଼ିକର
ପ୍ରଚଳନ ରହିଥିଲା ଓ ପରବର୍ତ୍ତୀ ସମୟରେ ଅନୁସର୍ଗାତ୍ମକ ବା ବ୍ୟଞ୍ଜନମୂଳକ ବିଭକ୍ତି ଚିହ୍ନର ପ୍ରଚଳନ
ଘଟିଅଛି ।
ନିମିତ୍ତ, ସକାଶ, ଦେହି, ଦେଇ, କର୍ତ୍ତୃକ ଆଦି କେତେକ ଶବ୍ଦ ବିଭକ୍ତି ଚିହ୍ନ ଭାବରେ ଓଡ଼ିଆ
ଭାଷାରେ ପ୍ରଚଳିତ ।


No comments:

Post a Comment